ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବିରୋଧୀ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା ସୂଚନା ଦେଇଛନ୍ତି| ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ତିନି ଜଣିଆ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏହାର ଅର୍ଥ ନୂଆ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହିସବୁ ନିଯୁକ୍ତି ସର୍ବସମ୍ମତି କ୍ରମେ କରାଯାଇଥାଏ, ତେଣୁ ଓଡ଼ିଶା ଖୁବଶୀଘ୍ର ଜଣେ ନୂଆ ଲୋକାୟୁକ୍ତ ପାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଳମ୍ବ ହେଲା ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି । ବିରୋଧୀ ଯଦି କହୁଛନ୍ତି ବିଳମ୍ୱ ହେଇଗଲା, ତାହେଲେ ସେମାନେ କୁହନ୍ତୁ ୨୪ ବର୍ଷ ଲମ୍ବା ସମୟ ନା ୨ ବର୍ଷ ଲମ୍ବା ସମୟ। କ୍ଷମତାରୁ ଚ୍ୟୁତ ହୋଇ ୨ ବର୍ଷ ଲମ୍ବା ଲାଗୁଛି। ୨୪ ବର୍ଷରେ ଯାହା କରିନ, ୨ ବର୍ଷରେ ତାହା କରୁଛୁ। ୫ ବର୍ଷରେ ଯାହା କରିବୁ ତାହା ବିରୋଧୀ କଳ୍ପନା କରିନଥିବେ। ଲୋକାୟୁକ୍ତ ହେଉଛନ୍ତି ରାଜ୍ୟରେ ଦୁର୍ନୀତି ଓ ଅନିୟମିତତା ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ଏକ ସ୍ୱାଧୀନ ଆଇନଗତ ସଂସ୍ଥା।











