ପୁରୀ: ରଥଯାତ୍ରାରେ ଅଘଟଣ । ଦଳାଚକଟାରେ ଜଣେ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ବହୁ ଭକ୍ତ ଗୁରୁତର ଆହତ ହୋଇ ପୁରୀ ହସପିଟାଲରେ ଚିକିତ୍ସାଧୀନ । ଭିଡ ନିୟନ୍ତ୍ରଣରେ ବିଫଳ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଠେଲାପେଲାରେ ଜଣେ ଭକ୍ତ ତଳେ ପଡିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ବଡ଼ଦାଣ୍ଡର କିଛି ସ୍ଥାନରେ ଭିଡ଼ ଅତ୍ୟଧିକ ବଢ଼ିଯିବାରୁ ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ସମୟରେ ଠେଲାପେଲା ହେବାରୁ କିଛି ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ । ଫଳରେ ଦଳାଚକଟାରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଥିବା ପୋଲିସ, ସ୍ୱେଚ୍ଛାସେବୀ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଡାକ୍ତରମାନେ ଜଣେ ଶ୍ରଦ୍ଧାଳୁଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟଜଣେ ଗୁରୁତର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ନିଆଯାଇଥିଲା ବୋଲି ରଥଯାତ୍ରା ପୂର୍ବରୁ ମୁଖ୍ୟ ଶାସନ ସଚିବ କହିଥିଲେ । ଏପରିକି କେଉଁ ସ୍ଥାନରେ କେତେ ଭିଡ ହେଉଛି, ତାହା ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ସିସିଟିଭି କ୍ୟାମେରା ଚିତ୍ରରେ ସ୍ପଷ୍ଟ ଜଣାପଡୁଥିବାରୁ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ସଫଳ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ମାତ୍ର ସବୁ ବ୍ୟବସ୍ଥା ଫେଲ୍ ମାରିଲା । ଗତବର୍ଷ ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ରଥଯାତ୍ରା ସୁଚାରୁରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଆଇନମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଡିଜିପି ସମସ୍ତେ ସମୀକ୍ଷା କରିଥିଲେ । ମାତ୍ର ସବୁ ପଦକ୍ଷେପ ଫେଲ୍ ମାରିଲା ।











