ଭୁବନେଶ୍ୱର: ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବିବାଦ ଏବେ ସୁପ୍ରିମକୋର୍ଟ ରେ ପହଂଚିଛି। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଅଣଦେଖା କରି ଓଡ଼ିଶା ସରକାର କିଛି ଅଫିସରଙ୍କୁ ସୁପାରିଶ ପ୍ୟାନେଲରେ ସାମିଲ ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ମଙ୍ଗଳବାର ଦିନ ଦାଖଲ ହୋଇଥିବା ରିଟ୍ ପିଟିସନ୍କୁ ସୁପ୍ରିମକୋର୍ଟ ଗ୍ରହଣ କରି ବୁଧବାର ଦିନ ଜରୁରୀ ଶୁଣାଣି କରିବା ପାଇଁ ସମ୍ମତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ଏହି ମାମଲାରେ ୟୁପିଏସସି ଓ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି ରାଜ୍ୟ ସରକାର ପୁଲିସ ଡିଜି ଚୟନ ନିମନ୍ତେ ମେ’ ୧୪ତାରିଖରେ ୟୁପିଏଏସିଙ୍କୁ ଦେଇଥିବା ୧୧ଜଣିଆ ବରିଷ୍ଠ ଆଇପିଏସଙ୍କ ତାଲିକାରେ କାହିଁକି ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କଲେ ତାହାକୁ ନେଇ ଚର୍ଚ୍ଚାହେଉଛି । ଆବେଦନକାରୀ ବାଲେଶ୍ୱର ଜିଲ୍ଲାର ଜୟନ୍ତ ଦାସଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି.ଚିଦାମ୍ବରମ୍ ମଙ୍ଗଳ ବାର ଦିନ ସୁପ୍ରିମକୋର୍ଟରେ ପକ୍ଷ ରଖି ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର ପୂର୍ବରୁ ୟୁପିଏସସି ନିକଟକୁ ପଠାଇଥିବା ଆଇପିଏସ୍ ଅଫିସରଙ୍କ ତାଲିକାକୁ ପ୍ରତ୍ୟାହାର କରି ଅତିରିକ୍ତ ଡିଜି ପାହ୍ୟାର ଅଫିସରଙ୍କୁ ପଦୋନ୍ନତି ଦେଇ ଡିଜିପି ପଦବୀକୁ ଆଣିବା ଓ ତାଙ୍କୁ ସୁପାରିସ ତାଲିକାରେ ପୂରାଇବା ପାଇଁ ବେଆଇନ ଉଦ୍ୟମ କରୁଛନ୍ତି। ଯାହାକି ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ନିର୍ଦ୍ଦେଶାବଳୀର ସ୍ପଷ୍ଟ ଉଲ୍ଲଂଘନ ବୋଲି ସେ କହିଥିଲେ l









