ନେଡିଗୁଡ କହୁଣୀକୁ ବୋହିବା ଆରମ୍ଭ କଲାଣି I ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢିବାରେ ଲାଗିଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ସରକାର କେବଳ ଲକ୍ ଡାଉନ୍ କରିବା ଛଡା ଆଉ ୁପାୟ କିଛି ନାହିଁ I ମାତ୍ର କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଅନେକ ସମାଲୋଚନା କରିବାରେ ଲାଗିଲେଣି I ଡିସେମ୍ବର ମାସରୁ କରୋନା ଚୀନରେ ବ୍ୟାପିବା ଆରମ୍ଭ କରିଥିବା ବେଳେ ଫେବୃଆରୀ ମାସରେ ବିଶ୍ବସ୍ବାସ୍ଥ୍ୟ ସଂଗଠନ କରୋନା ବିଶ୍ବ ମହାମାରୀର ରୂପ ନେବ ବୋଲି ଚେତାଇ ଦେଇଥିଲା I ମାତ୍ର କେନ୍ଦ୍ର ସରକାର ସେତେବେଳେ ଏହାକୁ ଗୁରୁତ୍ବ ଦେଲେନି I ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ବ୍ୟୟବହୁଳ ଆୟୋଜନରେ ଲାଗିଥିଲେ I ମାର୍ଚ୍ଚ ମାସରେ ଚୀନରେ କରୋନା ଭୟଙ୍କର ରୂପ ଧାରଣ କରିବା ପରେ ବି ମୋଦୀ ସରକାର ଠିକଣା ପଦକ୍ଷେପ ନେଲେନି I ଅନ୍ତର୍ଜାତୀୟ ବିମାନ ସେବା ଅବ୍ୟାହତ ଥିଲା ଏବଂ ଚୀନ୍ ସମେତ ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟଙ୍କୁ (ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କୁ) ବିମାନ ପଠାଇ ଭାରତ ଆଣିଲେ I ଅର୍ଥାତ୍ କରୋନା ଭାଇରସକୁ ବିଭିନ୍ନ ଦେଶରୁ ଆମଦାନୀ କରାଗଲା I ପ୍ରବାସୀ ଭାରତୀୟଙ୍କୁ ଆଣିବା ପରେ ସେମାନଙ୍କୁ ଚଉଦ ଦିନ କ୍ବାରେଣ୍ଟାଇନରେ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ହେଁ ସେମାନଙ୍କୁ ଠିକଣା ଭାବେ ନ ରଖି କରୋନା ସଂକ୍ରମିତଙ୍କୁ ସେମାନଙ୍କ ଘର ତଥା ବିଭିନ୍ନ ରାଜ୍ୟକୁ ପଠାଇଦେଲେ I ଅର୍ଥାତ ପରୋକ୍ଷରେ ସାରା ଦେଶରେ କରୋନା ସଂକ୍ରମଣ ପାଇଁ ସରକାର ବାଟ ତିଆରି କରିଦେଲେ I ସରକାର ଯଦି ବିଦେଶରୁ ଆସିଥିବା ସବୁ ପ୍ରବାସୀଙ୍କୁ ଆଇସୋଲେସନରେ ରଖିଥାନ୍ତେ, ତେବେ ଆଜି ଦେଶବାସୀଙ୍କୁ ଲକ୍ ଡାଉନ୍ କଷ୍ଟ ଭୋଗିବାକୁ ପଡିନଥାନ୍ତା କି ମୋଦୀ ସରକାରଙ୍କୁ କରୋନା ମୁକାବିଲା ପାଇଁ ଏକ ଲକ୍ଷ ସତୁରୀ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବାକୁ ପଡି ନଥାନ୍ତା I ଏବେ ଦେଶ ପାଇଁ ସଂକ୍ରମଣ କ୍ଷେତ୍ରରେ ସବୁଠୁ ଘାତକ ସାଜିଛି ନିଜାମୁଦ୍ଦିନ ଧର୍ମ ସମ୍ମିଳନୀ I ମାତ୍ର ସେମାନଙ୍କୁ ସମ୍ମିଳନୀ ପାଇଁ ଅନୁମତି ଦିଆଯିବା ବେଳେ ସରକାର କଣ ଶୋଇଥିଲେ ? ଏବେ ସବୁ ରାଜ୍ୟ ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ ଯୋଗ ଦେଇ ଫେରିଥିବା ବ୍ୟକ୍ତିଙ୍କୁ ନେଇ ଆତଙ୍କିତ I
କରୋନା ଭାଇରସକୁ ଦେଶକୁ ଆମନ୍ତ୍ରଣ କରିବା ପରେ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ବଦଳରେ ମୋଦୀ ସରକାର ବିଭିନ୍ନ ଦେଶକୁ ମେଡିକାଲ ସାମଗ୍ରୀ (ପର୍ସୋନାଲ ପ୍ରୋଟେକ୍ସନ ଇକ୍ବିପମେଣ୍ଟ) ରପ୍ତାନୀ କରିବାକୁ ଅନୁମତି ଦେଲେ I ଦେଶରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ଏଭଳି ପର୍ସୋନାଲ ପ୍ରୋଟେକ୍ସନ ଇକ୍ବିପମେଣ୍ଟ ଆବଶ୍ୟକ ପରିମାଣର ନଥିବା ବେଳେ ମାର୍ଚ୍ଚ 29 ତାରିଖରେ ସର୍ବିଆକୁ 90 ଟନ୍ ମେଡିକାଲ ସାମଗ୍ରୀ ରପ୍ତାନୀ କରିଥିବା ଜଣାପଡିଛି I ଏଥିରୁ ମୋଦୀ ସରକାରଙ୍କ କରୋନା ମୁକାବିଲା ରଣକୌଶଳ ସ୍ପଷ୍ଟ ଜଣାପଡୁଛି I ଏବେ ନିୟନ୍ତ୍ରଣ ଆଉ ସରକାରଙ୍କ ହାତରେ ନାହିଁ I ଲୋକେ ଯଦି ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ କରନ୍ତି, ତେବେ ହୁଏତ ସଂକ୍ରମଣରୁ ରକ୍ଷା ପାଇପାରିବେ I

LEAVE A REPLY

Please enter your comment!
Please enter your name here