ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରତ୍ନସିଂହାସନ ବିଜେ ଶ୍ରୀଜୀଉ ମହାର୍ଘ୍ୟ ରାଜ ରାଜେଶ୍ୱର ବା ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି | ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଅବସରରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଦର୍ଶନ କରିଛନ୍ତି | ଏହି ବେଶରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, କିରୀଟି, କାନ ଓଡିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ହରିଡ଼ା ମାଳି, ବହାଡ଼ାମାଳି, ଘାଗଣମାଳି, ତାବିଜମାଳି, ଦମ୍ବମାଳି, ଚକ୍ର, ତ୍ରିଶାଖା, ଅଳକା, ଶ୍ରୀମୁଖ ପଦ୍ମ, ରୌପ୍ୟ ଶଙ୍ଖ, ତଡକ ଆଦି ଅଳଙ୍କାର ଲାଗି କରାଯାଇଥିଲା | ପୂର୍ଣ୍ଣିମୀ ଅବସରରେ ଶୁକ୍ରବାର ପ୍ରତ୍ୟୁଷରୁ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉଙ୍କୁ ବିଭିନ୍ନ ପାଟବସ୍ତ୍ର ସମେତ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରିଥିଲେ | ସୁନାବେଶ ଦେଖିବା ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରତ୍ୟୁକ୍ଷରୁ ଅନେକ ଶ୍ରଦ୍ଧାଳୁ ମହୋଦଧିରେ ବୁଡ ପକାଇ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ | ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରୁ ପ୍ରାୟ ୩୦୦ ମିଟର ବ୍ୟାପି ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଥିଲା | ଏହି ବ୍ୟାରିକେଟ ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ବେଶ ଦର୍ଶନ କରିବା ସହ ଅନ୍ୟଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ | ବ୍ୟାରିକେଟ ବାହାରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କର ଲମ୍ବାଧାଡି ଦେଖିବାକୁ ମିଳିଥିଲା | ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ପୁଲିସ ପ୍ରଶାସନପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ପୁଲିସ ମୁତୟନ କରାଯାଇଥିଲା | ଏତତ୍ବ ବ୍ୟତୀତ ସାଧା ପୋଷାକଧାରୀ ପୋଲିସ ଡଗ ସ୍ୱାର୍ଡ ମଧ୍ୟ ମୁତୟନ କରାଯାଇଥିଲା | ସୁନାବେଶ ଦର୍ଶନ ପାଇଁ ଦିନସାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିରହିଥିଲା | ଶ୍ରଦ୍ଧାଳୁ ଭକ୍ତମାନେ ଭୋରରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରି ପରମ୍ପରା ଅନୁଯାୟୀ ଡଙ୍ଗା ଭସାଇଥିଲେ | ” ଆକାମାବୋଇ ପାନଗୁଆ ଖାଇ ପାନଗୁଆ ତୋର ସବୁ ଧର୍ମ ମୋର ” ହୁଳହୁଳି, ଶଙ୍ଖ ଓ ହରିବୋଲ ଧ୍ୱନିରେ ବେଳାଭୂମି ପ୍ରକମ୍ପିତ ହୋଇ ଉଠିଥିଲା | ବେଳାଭୂମିରେ ଶ୍ରଦ୍ଧାଳୁ ଭକ୍ତମାନେ ଆତଶବାଦୀ ଫୁଟାଉଥିବା ଦେଖାଯାଉଥିଲା |

LEAVE A REPLY

Please enter your comment!
Please enter your name here