ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ଜଣେ ଆବେଦନକାରୀ ଅଶୋଭନୀୟ ଆଚରଣ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛିl ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ ଆବେଦନ କାରୀ ନିଜେ ହାଜର ହୋଇଥିବା ବେଳେ ବିଚାରପତିଙ୍କୁ ଆଦେଶ ଦେବା ସହ ସେମାନଙ୍କ ଆସନ ଆଡ଼କୁ ଦସ୍ତାବିଜ ଫିଙ୍ଗିଥିଲେ ଓ ଗାଳିଗୁଲଜ କରି ଚିତ୍କାର କରିଥିଲେ। ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ କୋର୍ଟ କକ୍ଷରୁ ବାହାରକୁ ନେଇଯାଇଥିଲେ।ସୂଚନା ଅନୁଯାୟୀ ଆବେଦନକାରୀ ନିଜ ପକ୍ଷ ଉପସ୍ଥାନ କରିବାକୁ ଯାଇ କହିଥିଲେ, “ହେ ନ୍ୟାୟିକ ସେବକ (Mr judicial servant), ଲକ୍ଷ୍ନୌ ଏସିପିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମୁଁ ଆପଣଙ୍କୁ ଆଦେଶ ଦେଉଛି।ତାଙ୍କର ଏହି ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହୋଇ ଜଷ୍ଟିସ ବିଶ୍ୱନାଥନ ପଚାରିଥିଲେ, “ଆପଣ ମୋତେ ଆଦେଶ ଦେଉଛନ୍ତି? ଆପଣ ଆମକୁ ଆଦେଶ ଦେଉଛନ୍ତି?” କୋର୍ଟଙ୍କୁ ଉତ୍ତର ଦେଇ ଅଭିଯୋଗକାରୀ କହିଥିଲେ, “ମୋ ପକ୍ଷରୁ ଏତିକି ହିଁ କହିବାର ଅଛି। ସବୁ କିଛି ରେକର୍ଡରେ ଅଛି।” ଏହାକହି ସେ ତାଙ୍କ ମାମଲା ସମ୍ପର୍କିତ କାଗଜପତ୍ରକୁ ବିଚାରପତିଙ୍କ ଆଡ଼କୁ ଲକ୍ଷ୍ୟ କରି ଫିଙ୍ଗି ଦେଇଥିଲେ ଓ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଶ୍ଲୀଳ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି ଖଣ୍ଡପୀଠର ସଦସ୍ୟ ନଥିଲେ। ଉକ୍ତ ଘଟଣା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ଆବେଦନକାରୀଙ୍କୁ କୋର୍ଟ କକ୍ଷରୁ ବାହାର କରିଦେଇଥିଲେ। ଏହା ପରେ କୋର୍ଟ କକ୍ଷ ଶାନ୍ତ ପଡ଼ିଥିଲା। ଏହି ଘଟଣା ଜଷ୍ଟିସ କେ.ଭି. ବିଶ୍ୱନାଥନ ଓ ଜଷ୍ଟିସ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଘଟିଥିଲା।କିନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣା ସମୟରେ ଖଣ୍ଡପୀଠ ଧୈର୍ଯ୍ୟ ବଜାୟ ରଖିଥିଲେ ଏବଂ ଏହି ଉତ୍ତେଜନାପୂର୍ଣ୍ଣ ଆଚରଣ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ।ଜଷ୍ଟିସ୍ ବିଶ୍ୱନାଥନ କହିଛନ୍ତି, “ଆମେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରୁନାହୁଁ । ଯଦି ମାମଲାର ମେରିଟ୍ କଥା, ଆମେ ରେକର୍ଡପତ୍ର ଦେଖିଛୁ ଏବଂ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଦୃଢ଼ ଆଧାର ପାଇନାହୁଁ । ତେଣୁ ଏହି ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରାଯାଉଛି ।”କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ସେ ମାନସିକ ସ୍ତରରେ ଖୁବ୍ ବିଚଳିତ ଅଛନ୍ତି, ଏହା କେବଳ ତାଙ୍କର ନିରାଶା । ଆମର ତାଙ୍କ ପ୍ରତି କେବଳ ସହାନୁଭୂତି ରହିଛି ।

LEAVE A REPLY

Please enter your comment!
Please enter your name here