ମଣିଷର ‘ବାଳ’ ସ୍ମଗଲିଙ୍ଗ ଯୋଗୁ ଭାରତକୁ ପ୍ରତିବର୍ଷ ଦେଢଶହ କୋଟିରୁ ଅଧିକ ଟଙ୍କା ହରାଇବାକୁ ପଡୁଛି । ମିଳିଥିବା ତଥ୍ୟ ଅନୁଯାୟୀ, ଏହି ସ୍ମଗଲିଙ୍ଗ କାରବାର ମିଆଁମାର, ବାଂଲାଦେଶ, ଭିଏତନାମ ଓ ଚାଇନା ପର୍ଯ୍ୟନ୍ତ ଲମ୍ବିଛି । ପଶ୍ଚିମବଙ୍ଗ ବହିଃଶୁଳ୍କ ବିଭାଗର ଅଧିକାରୀମାନେ କହିଛନ୍ତି, ବାଳର କୃତ୍ରିମ ମୂଲ୍ୟ ହ୍ରାସ କରି ସ୍ମଗଲରମାନେ ଅନ୍ୟଦେଶକୁ ରପ୍ତାନୀ କରୁଥିବାରୁ ଦେଶ ରାଜସ୍ବ ହରାଉଛି । ଭାରତର ବିଭିନ୍ନ ଅଞ୍ଚଳରେ ମଣିଷର ବାଳ, କେଉଁଠି ଗୋଲି ଅବା ଚୁଟି ଅବା ଥୁଟି ଭାବେ ପରିଚିତ । ଏକ କିଲୋ ଚୁଟିର ଦାମ୍ ସାଢେ ଚାରିହଜାର ଟଙ୍କାରୁ 6 ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥିବା ବେଳେ ବାହାର ଦେଶକୁ ଚୁଟି ରପ୍ତାନୀ କରୁଥିବା ଦେଶର ପ୍ରମୁଖ ପାଞ୍ଚଟି ରପ୍ତାନୀକାରୀ ସଂସ୍ଥା ସିପିଂ ମୂଲ୍ୟ ଅବମୂଲ୍ୟାୟନ କରୁଥିବାରୁ ଦେଶକୁ ବାର୍ଷିକ ଦେଢଶହ କୋଟିରୁ ଅଧିକ ଟଙ୍କା ହରାଇବାକୁ ପଡୁଛି । ମିଆଁମାର ଓ ବାଂଲାଦେଶର ବ୍ୟବସାୟୀମାନେ ମିଡିଲମ୍ୟାନ ଜରିଆରେ ଚୁଟି କିଣି କମ୍ ମୂଲ୍ୟରେ ଶ୍ରମିକ ନିୟୋଜିତ କରି ଏହାକୁ ପ୍ରସେସିଂ କରିବା ପରେ ଚାଇନାକୁ ବିକ୍ରି କରିଥାନ୍ତି । ଭାରତରେ ପ୍ରତିବର୍ଷ 6 ହଜାରରୁ 8 ହଜାର କୋଟି ଟଙ୍କାର ଚୁଟି ବାହାରକୁ ରପ୍ତାନୀ ହୋଇଥାଏ । ପାଞ୍ଚ ପ୍ରତିଶତ ଚୁଟି ବିଭିନ୍ନ ମନ୍ଦିରରେ ଭକ୍ତମାନେ ଲଣ୍ଡିତ ହେଉଥିବାରୁ ମିଳୁଥିବା ବେଳେ ଅବଶିଷ୍ଟ ଚୁଟି ଦେଶର ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଥାଏ । ଅବଶ୍ୟ ଗ୍ରାମାଞ୍ଚଳରୁ ଚୁଟି ସଂଗ୍ରହ ପ୍ରକ୍ରିୟାରେ ଦେଶର ପାଞ୍ଚରୁ ସାତ ଲକ୍ଷ ବେକାର ଯୁବକ ପରୋକ୍ଷ ଭାବେ ରୋଜଗାର କରିଥାନ୍ତି । ଏହିସବୁ ଚୁଟିରୁ ଉଇଗ୍ସ, ଫଲ୍ସ, ପ୍ରଭୃତି ତିଆରି କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here