ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥକାଠ ପୂଜାର୍ଚନା କରାଯାଇଛି | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯାଇଛି | ପରମ୍ପରା ଅନୁସାରେ ରାଜପୁରୋହିତ ଓ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ମା ସରସ୍ବତୀଙ୍କ ନିକଟରେ କରାଯିବାପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ଓ ପୂଜା କରିଛନ୍ତି | ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି | ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ସମସ୍ତ ବ୍ୟବସ୍ଥା ହୋଇଥିଲା । ଚଳିତ ମାସ 6 ତାରିଖରେ ରଥ କାଠ ଚିନ୍ହଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ 4 ଜଣିଆ ପ୍ରତିନିଧି ମଣ୍ଡଳୀ ନୟାଗଡ଼ ଗସ୍ତ କରିଥିଲେ। ନୟାଗଡ଼ର ମା ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ପରେ ତିନିରଥର କାଠ ଚିହ୍ନଟ ସହ ଗଛ କଟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥ ପାଇଁ 8 ଶହ 65 ଟି କାଠ ଆବଶ୍ୟକ ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ 193 ଟି କାଠ ଗଛିତ ଥିବା ବେଳେ ଚଳିତ ବର୍ଷ 672 ଖଣ୍ଡ କାଠ ଆସିବ। ଅସନ୍ତା ରାମ ନବମୀ ରେ ରଥ କାଠ ଚିରଟ ପ୍ରକ୍ରିୟା ଓ ଅକ୍ଷୟ ତୃତୀୟା ରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here