ନୂଆଦିଲ୍ଲୀ: ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଦଳାଚକଟା ହୋଇ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଅଶୋକଧାମ ମନ୍ଦିରରେ ଭୋରରୁ ହିଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ମହାଦେବଙ୍କ ଜଳାଭିଷେକ ପାଇଁ ମନ୍ଦିରରେ ପହଞ୍ଚିଥିଲେ। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୟଭୀତ ହୋଇ ଲୋକେ ଚାରିଆଡ଼େ ଦୌଡ଼ିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ର ଚାପ ଯୋଗୁଁ ଅନେକ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ପ୍ରାଣହାନି ଘଟିଛି। ପ୍ରାୟ ୬ଟା ୪୦ରୁ ୬ଟା ୪୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଭିଡ଼ ବଢ଼ିବା ଯୋଗୁଁ ମନ୍ଦିର ପାର୍ଶ୍ୱରେ ଥିବା ବ୍ୟାରିକେଡ୍ ଭାଙ୍ଗିଯାଇଥିଲା, ଫଳରେ ଭକ୍ତମାନେ ପରସ୍ପର ଉପରେ ପଡ଼ିଯାଇଥିଲେ। ଦୁଇଟି ଟ୍ରେନ୍ ପହଞ୍ଚିବା ପରେ ମନ୍ଦିର ଅଭିମୁଖେ ଭକ୍ତଙ୍କ ଭିଡ଼ ଆହୁରି ବୃଦ୍ଧି ପାଇଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।













