ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସେ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ । ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି ଜିତିନ ପ୍ରସାଦ । ଜିତେନ୍ଦ୍ର ପ୍ରସାଦ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀ ଓ ପି. ଭି. ନରସିଂହରାଓଙ୍କ ପରାମର୍ଶଦାତା ଥିଲେ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଜିତିନ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରେ ତାଙ୍କୁ ବିଜେପି ପକ୍ଷରୁ ସ୍ବାଗତ କରାଯାଇଛି ।

ତେବେ ଜିତିନଙ୍କ ବିଜେପିରେ ଯୋଗଦାନ କଂଗ୍ରେସକୁ ଶକ୍ତ ଧକ୍କା । ରାହୁଲ ଗାନ୍ଧୀଙ୍କ ଖୁବ୍ ନିକଟତର ଥିବା ଜିତିନଙ୍କ ତିନି ପୁରୁଷ କଂଗ୍ରେସ ସହ ସଂପୃକ୍ତ ଥିଲେ । ମାତ୍ର କଂଗ୍ରେସ ପରିଚାଳନା ନେଇ ସେ ଅସନ୍ତୁଷ୍ଟ ଥିଲେ । କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ କରିବା ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା 23 ଜଣ ନେତାଙ୍କ ମଧ୍ୟରେ ଜିତିନ ଥିଲେ । ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ଉତ୍ତର ପ୍ରଦେଶର ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେବା ପରେ କହିଛନ୍ତି, ବିଜେପି ହେଉଛି ପ୍ରକୃତ ରାଷ୍ଟ୍ରୀୟ ଦଳ । ଏହା ବ୍ୟକ୍ତିକୈନ୍ଦ୍ରିକ ନୁହେଁ । ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଜିତିନଙ୍କ ଯୋଗଦାନ ବିଜେପି ପାଇଁ ଲାଭଦାୟକ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସରେ ଦଳୀୟ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ଜଣକ ପରେ ଜଣେ ନେତା ଦଳ ଛାଡିବା ରାହୁଲଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here