ସାପ ନା ଶୁଣିଲେ ଡର ଲାଗେ । ସାପକୁ ଆମେ ପାଖରେ ଦେଖିଦେଲେ ତ ଛାତି ଥରିଉଠେ । ହେଲେ ୮ ଫୁଟର ଅହିରାଜକୁ କାବୁ କରିଛନ୍ତି ସାହାସୀ ସସ୍ମିତା । ମୟୂରଭଞ୍ଜ ଜିଲ୍ଲା ପିଠାବଟା ରେଞ୍ଜର ଲୁଲୁଙ୍ଗ ଗେଟ ନିକଟରେ ଏକ ଘରୋଇ ପାନ୍ଥ ନିବାସରେ ବିଷଧର ଅହିରାଜ ସାପ ପଶିଥିବା ଶୁଣିବା ପରେ ସେଠାରେ ପହଁଞ୍ଚିଥିଲେ କୃଷ୍ଣଚନ୍ଦ୍ର । ସାଙ୍ଗରେ ଯାଇଥିଲେ ପତ୍ନୀ ସସ୍ମିତା । ସ୍ୱାମୀ, ସ୍ତ୍ରୀ ବେଶ ସତର୍କତାର ସହିତ ଏକ ୮ ଫୁଟିଆ ଅହିରାଜ ସାପକୁ କାବୁ କରିଥିଲେ । ପରେ ଏହାକୁ ଆଣି ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦେଇଥିଲେ । ତେବେ ସ୍ୱାମୀଙ୍କ ସହ ସସ୍ମିତା ନିଜେ ଯାଇ ବିଷଧର ସାପକୁ ଧରିବାର ଏହି ଦୃଶ୍ୟ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାନୁସାରେ, ଗତକାଲି ରାତିରେ ଏହି ଘରୋଇ ପାନ୍ଥ ନିବାସରେ ରହୁଥିବା ଆଦିବାସୀ ଦମ୍ପତି ଏହି ବିଷଧର ଅହିରାଜ ସାପର ହାବୁଡରେ ପଡିଯାଇଥିଲେ । ଘର ଭିତରେ ବିଷଧର ସାପଟି ପ୍ରାୟ ଘଂଟାଏ ଧରି କୋଠରୀ ଦୁଆର ସାମ୍ନାରେ ଫଣାଟେକି ଜଗିରହିଥିଲା । ହେଲେ ସାହସ ହାରିନଥିଲେ ଆଦିବାସୀ ଦମ୍ପତି । ଘରେ ପଡିଥିବା ଏକ ଖଟ ଉପରେ ଚଢି ଯାଇଥିଲେ ସ୍ୱାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁପୁତ୍ର । ସେଠାରେ ଠିଆହୋଇ କୋଠରୀ ଝରକାରେ ଲାଗିଥିବା ରେଲିଂକୁ ଗୋଇଠା ମାରି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ପାଳିକରି ଗୋଇଠା ମାରି ଲୁହାର ରେଲିଂକୁ ଭାଙ୍ଗିବାରେ ସମର୍ଥ ହୋଇଥିଲେ । ଏବଂ ପରେ ସେହି ଝରକା ବାଟେ ସମସ୍ତେ ଜୀବନ ବଂଚାଇ ବାହାରକୁ ଚାଲିଆସିଥିଲେ । ବନ ବିଭାଗକୁ ଖବର ଦେବାରୁ ପିଠାବଟା ରେଞ୍ଜ ଅଫିସର ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଡକାଇଥିଲେ ।

LEAVE A REPLY

Please enter your comment!
Please enter your name here