ପୋଲିସକୁ ଚୋରର ନିର୍ଧୁମ ମାଡ । ଚୋର ଧରିବାକୁ ଯାଇଥିବା ବେଳେ ଏମିତି ମାଡ ଖାଇଛି ପୋଲିସ । ପୋଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଛି ଚୋର। ଚୋର ମାଡରେ ଗୁରୁତର ଆହତ ପୋଲିସ କନେଷ୍ଟବଳ । ପରେ ଘଟଣାସ୍ଥଳରୁ ଚୋର ଫେରାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ । ପୁରା ଘଟଣା ଥିଲା ଏମିତି ।
ଗତ ବୁଧବାର ରାତିରେ ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିରରୁ ଚୋରି ହୋଇଥିଲା । ଗ୍ରାମବାସୀ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ତିର୍ତ୍ତୋଲ ପୋଲିସ ସନ୍ଧାନି କୁକୁର ସାହାଯ୍ୟରେ ଆରମ୍ଭ କରିଥିଲା ତଦନ୍ତ । ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର ପାଖରେ ପହଞ୍ଚିଥିଲା । କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା ପୋଲିସ କନେଷ୍ଟବଳ ଜଣଙ୍କ କବାଟ ବାଡେଇ ଡାକିଥିଲେ । ହାତରେ ଏକ ମାରଣାସ୍ତ୍ର ଧରି ଘର ଭିତରୁ ବାହାରିଥିଲା ରତ୍ନାକରଙ୍କ ପୁଅ ନନ୍ଦ । ବାହାରକୁ ଆସି ହଠାତ କନେଷ୍ଟବଳ ଜଣଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲା । ଗାଁ ଦାଣ୍ଡରେ କନେଷ୍ଟବଳଙ୍କୁ ଗୋଡେଇ ଗୋଡେଇ ମାଡମାରୁଥିବା ବେଳେ ତାକୁ ଦୁଇଜଣ ଗ୍ରାମବାସୀ ଅଟକାଇବାକୁ ଚେଷ୍ଟା କରିଥିଲେ । ଗୁରୁତର ଆହତ ଅବସ୍ଥାରେ କନେଷ୍ଟବଳ ଜଣଙ୍କ ତଳେ ପଡି ଯାଇଥିଲେ । ତାଙ୍କ ସହ ଥିବା ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କୁ ମଧ୍ୟ ମାଡ ମାରିଥିଲା ଅଭିଯୁକ୍ତ । ପୋଲିସକୁ ମାଡ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ ନନ୍ଦ । ଘଟଣାକୁ ନେଇ ଉଭୟ ଗାଁରେ ଛକାପଞ୍ଚା ପରିସ୍ଥିତି ଲାଗିରହିଛି । ଚୋର ମାଡରେ ଗୁରୁତର ପୋଲିସକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here