ବଡ ଅଜବ ବ୍ୟବସ୍ଥା ଆମର । ଗୋଟିଏ ପଟେ ଆମେ ସ୍ବଚ୍ଛତା, ଦୁର୍ନୀତିମୁକ୍ତର ସ୍ଲୋଗାନ ଦେଉଛୁ । ଦୁର୍ନୀତି ହଟାଇବା ପାଇଁ ବଡ ବଡ ଏଜେନ୍ସି ଖୋଲି ବସିଛୁ । ମାତ୍ର ଯିଏ ସବୁ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ବସିଛି, ତାର ଅଡିଟ୍ ନାହିଁ । କ୍ଷମତାର ଘୋଡା ଉପରେ ବସି ରଙ୍ଗୀନ ଆଦର୍ଶର କଥା କହୁଥିବା ରାଜନୈତିକ ଦଳଗୁଡିକ ଲୋକଙ୍କଠୁ ଭୋଟ ପାଇ କ୍ଷମତାସୀନ ହେବେ, ମାତ୍ର ସେମାନେ କାହାଠୁ କେତେ ଚାନ୍ଦା ନେଉଛନ୍ତି, ତାର ଜାଣିବାର ଅଧିକାର ନାଗରିକଙ୍କର ନାହିଁ । ସୁପ୍ରିମକୋର୍ଟରେ ଏମିତି ସଫେଇ ଦେଇଛନ୍ତି ସରକାର । ଏହାକୁ ସରକାର ଆଇନଗତ ବ୍ୟବସ୍ଥାରେ ପରିଣତ କରିଦେଇଛନ୍ତି । ରାଜନୈତିକ ଦଳଙ୍କ ଚାନ୍ଦା ସଂକ୍ରାନ୍ତୀୟ ମାମଲା ଉପରେ ଶୁଣାଣୀ ବେଳେ ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିଶନରଙ୍କ ନିକଟରୁ ବିସ୍ତୃତ ତଥ୍ୟ ମାଗିଛନ୍ତି ।
2021-22ରେ ଆଠଟି ଜାତୀୟ ରାଜନୈତିକ ଦଳକୁ 780 କୋଟି ଟଙ୍କା ଚାନ୍ଦା ମିଳିଥିବା ବେଲେ ବିଜେପିକୁ ସର୍ବାଧିକ 614 କୋଟି ମିଳିଥିଲା । କଂଗ୍ରେସକୁ 95 କୋଟି, ଏନସିପିକୁ 54 କୋଟି ମିଳିଥିଲା । ପ୍ରଶ୍ନ ଉଠୁଛି, ଯେଉଁମାନେ ରାଜନୈତିକ ଦଳକୁ ମୋଟା ଅଙ୍କର ଚାନ୍ଦା ଦେଲେ, ସେମାନେ କଣ ସାଧୁ ? ଆଉ ଚାନ୍ଦା ବଦଳରେ ସରକାରଙ୍କ ଠାରୁ ସେମାନେ ସରକାରଙ୍କ ଠାରୁ କି ସ୍ବାର୍ଥ ହାସଲ କଲେ, ତାହା ଜାଣିବାର ଅଧିକାର ନାଗରିକଙ୍କର ନାହିଁ କଣ ପାଇଁ ? ଯଦି ସମସ୍ତଙ୍କ ଆୟବ୍ୟୟର ହିସାବ ଆୟକର ବିଭାଗ ପାଖରେ ରହିବ, ତେବେ ରାଜନୈତିକ ଦଳଗୁଡିକୁ ଏଥିରୁ ବାଦ୍ ଦିଆଯିବ କଣ ପାଇଁ ? ଏ ବ୍ୟବସ୍ଥା ସ୍ପଷ୍ଟ କରୁଛି, ଆମ ସରକାର ଦୁର୍ନୀତିଖୋରଙ୍କୁ ପ୍ରୋତ୍ସାହିତ କରୁଛି । ଯିଏ ଆମକୁ ଚାନ୍ଦା ଦେବ, ସରକାରକୁ ଆସିଲେ ତାର ସୁରକ୍ଷା ଆମେ ଦେବୁ । ଯଦି ଏ ବ୍ୟବସ୍ଥା ଭିତରେ ଆମେ ରହିବା, ସାଧାରଣ ନାଗରିକ ଯାହାର ଆୟ ବାର୍ଷିକ 5 ଲକ୍ଷ ଟଙ୍କା ଡେଇଁଗଲା, ସେ ପଡିଉଠି ଆୟକର ଦେବ କଣ ପାଇଁ ?
ଯେଉଁ ବଡ ବଡ କର୍ପୋରେଟ ହାଉସ ରାଜନୈତିକ ଦଳକୁ ଚାନ୍ଦା ଦେଲେ ସେମାନେ ଇଡି, ସିବିଆଇ ପରିସରକୁ ଆସିବେ ନାହିଁ । ଆଉ ଯିଏ କ୍ଷମତାସୀନ ଦଳକୁ ଦେଇନାହାଁନ୍ତି, ଭୁଲ୍ ଜାଗାରେ ନିବେଶ କରିଛନ୍ତି, ତାକୁ କ୍ଷମତାସୀନ ଦଳର ଜୁଲୁମ ସହିବାକୁ ହେବ । ତଳସ୍ତରରେ ଦୁର୍ନୀତି ମୂଳୋତ୍ପାଟନ କଥା କହୁଥିବା ସରକାର ନିଜେ ଦୁର୍ନୀତି ହାଣ୍ଡିରେ ମୁହଁ ପୁରେଇ ଖୋଳ କରିଚାଲିଛି ।

LEAVE A REPLY

Please enter your comment!
Please enter your name here