କରୋନା କାଳରେ ଯେଉଁଠି ସାହି , ଭାଇ, ଅଡୋଶୀ, ପଡୋଶୀ ଶବ ପାଖକୁ ଆସୁନାହାଁନ୍ତି, ସେତେବେଳେ ଚିନ୍ମୟୀ ସାଜିଛନ୍ତି ଦେବଦୂତ । ଶବଟିଏ ପଡିଥିବାର ଖବର ପାଇଲେ ସାଙ୍ଗେ ସାଙ୍ଗେ ପିପିଇ କିଟ୍ ପିନ୍ଧି ବାହାରି ପଡନ୍ତି ଚିନ୍ମୟୀ । କୋଉଠି ବାଇକରେ ଶବ ବୋହି ନିଅନ୍ତି ମଶାଣିକୁ ତ ଆଉ କୋଉଠି କବର ଦିଅନ୍ତି । ନା ମନରେ ଶଙ୍କା ଥାଏ, ନା ଭୟ । ଗୋଟିଏ ପରେ ଗୋଟିଏ ଶବଦାହ କରୁଥିବା ଚିନ୍ମୟୀ ଏବେ ଚର୍ଚ୍ଚାରେ । ସମସ୍ତଙ୍କ ମୁହଁରେ ତାଙ୍କରି ପ୍ରଶଂସା ।
ଘର-ଜଗତସିଂହପୁର ଜିଲ୍ଲା ତିଳ ଥାନା ପୋଷଲ ଗାଁରେ । ଗାଁରେ ପରିଚିତ ଥିଲେ ଗଗନ ନାଁରେ । ମାତ୍ର ଯେତେବେଳେ ସେ ପୁରୁଷ ନୁହେଁ, ବରଂ କିନ୍ନର ବୋଲି ଜଣାପଡିଲା, ନିଜ ଘରେ, ସମାଜରେ ତାଙ୍କୁ ନିର୍ଯ୍ୟାତନା ସହିବାକୁ ପଡିଲା । କ୍ରମେ ଅତ୍ୟାଚାର ଅସହ୍ୟ ହେଲା । ଆଉ ସେ ଗାଁ ଛାଡି ଚାଲିଆସିଥିଲେ ଅନୁଗୁଳ । ୨୦୧୨ରେ ସତ୍ୟପାଠ ଜରିଆରେ ନା ରହିଲା ଚିନ୍ମୟୀ ଦାଶ । ଛେଣ୍ଡିପଦା ବ୍ଲକ ଜରପଡାରେ ରୁହନ୍ତି ଚିନ୍ମୟୀ । ଯେବେଠୁ ସମାଜ ଆଗରେ ସେ ଅଲୋଡା ହୋଇଗଲେ ସେବେଠୁ ଚିନ୍ତା କଲେ ଯେତିକି ଦିନ ବଞ୍ଚିବି ସମାଜ ସେବାରେ ଲାଗିବି ।
ରୋଜଗାର କହିଲେ ଏକ ଲେଡିଜ କର୍ଣ୍ଣର ଦୋକାନଟିଏ । ସେଥିରୁ ଯାହା ପଇସା ବାହାରେ ସମାଜ ସେବାରେ ଖର୍ଚ୍ଚ କରିଦିଅନ୍ତି ଚିନ୍ମୟୀ । କେହି ଯେମିତି ହଇରାଣ ଅସୁବିଧା ହେବେନାହିଁ , ସେଥିପାଇଁ ଚିନ୍ମୟୀ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିଜ ଫୋନ ନମ୍ବର ଦେଇଛନ୍ତି । ମାଗଣା ଶବଦାହ କରିବେ ବୋଲି ଘୋଷଣା କରିଛନ୍ତି । ଆଉ ଫୋନଟିଏ ପାଇବା ମାତ୍ରେ ନିଜ ଜୀବନକୁ ଖାତିର ନକରି ପିପିଇ କିଟ୍ ପିନ୍ଧି ଶବ ଦାହ ପାଇଁ ହାଜର ହୋଇଯାଆନ୍ତି ଚିନ୍ମୟୀ ।
ତାଙ୍କର ଏହି ମହାନ୍ କାମ ଦେଖି ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା କରିଥିବାବେଳେ ଚିନ୍ମୟୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଚିରଦିନ ପାଇଁ ମନେରହିବ ଚିନ୍ମୟୀଙ୍କ ସେବା । ଆଗରୁ ଅସହାୟ , ଅନାଥଙ୍କୁ ସାହା ହେଉଥିଲେ । ହେଲେ ଏବେ ଚିନ୍ମୟୀଙ୍କ ହାତରେ ଅନେକ କୋଭିଡ ଶବଙ୍କର ଶେଷଯାତ୍ରା ହେଉଛି । ..

LEAVE A REPLY

Please enter your comment!
Please enter your name here